ଡାକୋଟା ଫେରିଛି ଓଡିଶା - ଓଡିଶାର ସମୃଦ୍ଧ ବିମାନ ଇତିହାସରେ ଡାକୋଟା

ଡାକୋଟା ଫେରିଛି ଓଡିଶା । ଏହି ଐତିହାସିକ ପଦକ୍ଷେପକୁ ସମଗ୍ର ଓଡିଶାବାସୀ ସ୍ଵାଗତ କରିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ଵାରା ପ୍ରତିଷ୍ଠିତ ପୂର୍ବ କଳିଙ୍ଗ ଏୟାରଲାଇନ୍ସ ବିମାନ ଡାକୋଟା କଲିକତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଓଡିଶା ଫେରାଇ ଅଣାଯାଇଛି । ୮ ଟନ ଓ ୬୫ ଫୁଟ ବିଶିଷ୍ଟ ଏହି ଡାକୋଟା ବିମାନ କଲିକତା ବିମାନ ବନ୍ଦରର କେଉଁ ଏକ କୋଣରେ ଅଦରକାରୀ ଭାବେ ପଡି ରହିଥିଲା । ୧୯୪୪ ମସିହା ଫେବ୍ରୁଆରୀ ମାସରେ ପ୍ରଥମ କରି ଉଡାଣ ଭରିଥିବା ଏହି ଡାକୋଟା ବିମାନ ପଛରେ ଓଡିଶାର ସମୃଦ୍ଧ ବିମାନ ଇତିହାସର ତଥ୍ୟ ଲୁଚି ରହିଛି । ଏହି ବିମାନର ଐତିହାସିକ ମହତ୍ଵ ଓଡିଶା ତଥା ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବର ବିଷୟ । ଏହା ବିଜୁ ପଟ୍ଟନାୟକଙ୍କ ସାହସିକତା ବିଷୟରେ ସୂଚନା ଦିଏ, ଯିଏ ଜଣେ ସାହସୀ ଓଡିଆ ପାଇଲଟ୍, ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ । ଡାକୋଟା ବିମାନର ଇତିହାସ ଓଡିଶାର ଭବିଷ୍ୟତ ପିଢିଙ୍କୁ ଅଦମ୍ୟ ସାହାସ ଓ ପ୍ରେରଣା ଯୋଗାଇବ ଏହା ନିଃସନ୍ଦେହ । କୁହାଯାଏ ଇଣ୍ଡୋନେସିଆର ସ୍ୱାଧୀନତା ଆନ୍ଦୋଳନ ସମୟରେ ଇଣ୍ଡୋନେସିଆର ପୂର୍ବତନ ଉପରାଷ୍ଟ୍ରପତି ଏମ.ଡି ହାଟା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଏହି ଡାକୋଟା ବିମାନଟି ବ୍ୟବହାର କରାଯାଇଥିଲା । ବିଜୁ ବାବୁଙ୍କ ଏହି ସାହାସିକତା ପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ “ଭୁମିପୁତ୍ର” ଉପାଧିର ଭୂଷିତ କରିଥିଲେ । ଗତ ବୁଧବାର ଦିନ ବିମାନଟିକୁ ଫେରାଇଆଣିବା ସମୟରେ ଜାତୀୟ ରାଜପଥରେ ହଜାର ହଜାର ଲୋକ ସ୍ଵାଗତ ଜଣାଇଥିଲେ । ଏହି ଡାକୋଟା ବିମାନଟିଜୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସର୍ବସାଧାରଣଙ୍କ ପ୍ରଦର୍ଶନୀ ପାଇଁ ରଖାଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

Post a Comment

Post a Comment (0)

Previous Post Next Post