
୦୮/୧୧, ତେଲକୋଇ - ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ତେଲକୋଇ, କେନ୍ଦୁଝରଠାରେ ଦିଵସ ବ୍ୟାପି କନ୍ୟା ଶିବିର ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଓଡ଼ିଶାର ମହନୀୟ ସଂସ୍କୃତିକୁ ଉଜ୍ଜୀବିତ ଓ ପ୍ରଗତିଶୀଳ କରିବା ଉଦ୍ଦେଶ୍ୟରେ ମୁରୁଜ ପକା, ଝୋଟି ଚିତା, ଫୁଲହାର ସଜ୍ଜା ପର୍ବ ଅନୁଷ୍ଠିତ ହୋଇଥିଲା । ପାରମ୍ପରିକ ରଜଗୀତ, ଭାଗବତ ପଠନ, କୁମାରପୂର୍ଣ୍ଣିମୀ ଗୀତ ଗାନ, ମାଣବସା ଗୁରୁବାର ଲକ୍ଷ୍ମୀ ପୁରାଣ ପାଠ, କରମା ନୃତ୍ୟ ପ୍ରଦର୍ଶନ, ଓଡ଼ିଆ ବୋହୁ ବେଶ, ଝିଅ ବିଦା କାନ୍ଦଣା, ଓଡ଼ିଆଘର ଖାଦ୍ୟ ପ୍ରଦର୍ଶନ, ଓଡ଼ିଆ ଗୃହ ଶୟନ କକ୍ଷ ଆଦି ପ୍ରଦର୍ଶନ କରାଯାଇଥିଲା । ପରିଚାଳନା ସମିତି ସଭାପତି ହଟ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ଧର୍ମିଳା ଦାସ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଶିକ୍ଷାବିତ୍ ସାହିତ୍ୟିକ ନାରାୟଣ ଚନ୍ଦ୍ର ସେନାପତି ଓ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟା ମିନାକ୍ଷୀ ଦେହୁରୀ, ଶିକ୍ଷାବିତ ଚିତ୍ତରଞ୍ଜନ ପଟ୍ଟନାୟକ, ଶିକ୍ଷାବିତ ଅକ୍ଷୟ କୁମାର ବାରିକ, କଳା ଶିକ୍ଷକ ଶିବ ପ୍ରସାଦ ସାହୁ ଯୋଗଦେଇ କନ୍ୟାରତ୍ନ ମହାରତ୍ନ, ନାରୀ ସୁରକ୍ଷା, ସଂସ୍କୃତିର ପ୍ରଗତିରେ କନ୍ୟାମାନଙ୍କର ଭୂମିକା ଓ ସଂସ୍କୃତିକ ପରମ୍ପରାର ଅବକ୍ଷୟ ରୋକିବା ଦିଗରେ ଆମମାନଙ୍କ ଭୂମିକା ଆଦି ବିଷୟ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ୩୦ ଜଣ ଶିଶୁଙ୍କୁ ଅତିଥିମାନଙ୍କ ଦ୍ୱାରା ଏହି ପାରମ୍ପରିକ ପ୍ରତିଯୋଗିତାରେ ସଫଳତା ପାଇଁ ଏବଂ ୪୫ ଜଣ ଅଂଶ ଗ୍ରହଣକାରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଉତ୍ସବରେ ୮୦ରୁ ଉର୍ଦ୍ଧ୍ଵ ମାଆ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଧାନଆଚାର୍ଯ୍ୟ ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ଆଚାର୍ଯ୍ୟ ମୋହନ ଚରଣ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
Post a Comment