
ତା ୧୨/୧୦, ଭୁବନେଶ୍ୱର, ଶ୍ରୀଜଗନ୍ନାଥ ସେବା ସଦନର ରାଜ୍ୟ ସ୍ତରୀୟ ଗାନ୍ଧୀ ଆଦର୍ଶ ସମ୍ମାନ-୨୦୧୯ ସମ୍ବର୍ଦ୍ଧନା ସମାରୋହ ନିକଟସ୍ଥ ୟୁନିଟ-୯, ରୋଟାରୀ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିନିମନ୍ତେ ଆୟୋଜିତ ସଭାରେ ବିଶିଷ୍ଟ ସୁସାହିତ୍ୟିକ, ଆଦର୍ଶ ଶିକ୍ଷାବିତ ନିଶିଗନ୍ଧା ସାହିତ୍ୟ ସଂସଦର ସଭାପତି ନାରାୟଣ ଚନ୍ଦ୍ର ସେନାପତି ସଭାପତିତ୍ୱ କରିଥିବାବେଳେ ଶ୍ରୀଜଗନ୍ନାଥ ସେବା ସଦନ ସଭାପତି ବିଶିଷ୍ଟ ରାଜନୈତିକ ନେତ୍ରୀ ତଥା ସଙ୍ଗୀତକାର ନନ୍ଦିନୀ ଶତପଥୀ ସଭା କାର୍ଯ୍ୟ ସହାୟତା ପ୍ରଦାନ କରିଥିଲେ । ବରେଣ୍ୟ ଅତିଥି ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାଶ ଉଦଘାଟକ ଭାବେ ମୁଖ୍ୟ ଅତିଥି ସଂସ୍କୃତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସଂଗେ ଦୀପ ପ୍ରଜ୍ଵଳନ କରିଥିବାବେଳେ ଉକ୍ତ ସଭାରେ ପୂର୍ବତନ ସାଂସଦ ଅସାଧାରଣ ବ୍ୟକ୍ତିତ୍ୱ ବିଶିଷ୍ଟ ସୁସାହିତ୍ୟିକ ପଣ୍ଡିତ୍ ପ୍ରସନ୍ନ କୁମାର ପାଟ୍ଟଶାଣୀ ବରେଣ୍ୟ ଅତିଥି, ବିଦ୍ୟାଳୟ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଶିଷ୍ଟ ଅତିଥି ଓ ବିଶିଷ୍ଟ ବାଗ୍ମୀ ରାଜନୈତିକ ନେତା ଶଙ୍କର୍ଷଣ ପରିଡା, ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ଼ଃ ହରିହର କାନୁନଗୋ ସମ୍ମାନୀତ ଅତିଥି ଭାବେ ମଞ୍ଚ ମଣ୍ଡନ କରିଥିଲେ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସଭାପତି ଶ୍ରୀ ସେନାପତିଙ୍କ ଦ୍ୱାରା କରାଯାଇଥିବାବେଳେ ପ୍ରତିଷ୍ଠାତା ବଳରାମ ତରାଇଙ୍କ ରଚିତ ସ୍ୱାଗତ ସଂଗୀତ କଣ୍ଠଦାନ କରିଥିବା ସଙ୍ଗୀତଜ୍ଞ କୁମାର ମାନସ ଲିଟନଙ୍କ ଅଡିଓ ସିଡ଼ି ଉନ୍ମୋଚନ କରାଯାଇଥିଲା । ଅତିଥି ମାନଙ୍କ ଗାନ୍ଧୀ ଆଦର୍ଶ ସମ୍ପର୍କିତ ତାତ୍ତ୍ଵିକ ବିସ୍ଫୋରଣ ବକ୍ତୃତା ଉପସ୍ଥିତ ଜ୍ଞାନୀ ଗୁଣୀଙ୍କୁ ସ୍ତବ୍ଧ ଚକିତ କରିଥିଲା । କୁନି ପ୍ରତିଭା ଦିବ୍ୟାଙ୍ଗୀଙ୍କ ଦେଶାତ୍ମବୋଧକ ସଂଗୀତ ନୃତ୍ୟ ତଥା ଚଉଷଠି ବର୍ଷୀୟା ନିଶିଗନ୍ଧା ଉପସଭାପତି ଚିତ୍ରାରଣୀ ପାତ୍ରଙ୍କ ଭଜନ ନୃତ୍ୟ ସଭାର ବର୍ଣ୍ଣାଢ୍ୟ ଶୋଭାକୁ ବର୍ଦ୍ଧିତ କରିଥିଲା । ତତ୍ପରେ ଆମନ୍ତ୍ରିତ ଅତିଥି ବୃନ୍ଦଙ୍କୁ ତାଙ୍କ ନିଷ୍ଠାପର ବ୍ୟକ୍ତିତ୍ୱ ପାଇଁ ଅନୁଷ୍ଠାନ ଶ୍ରୀଜଗନ୍ନାଥ ସେବା ସମ୍ମାନ ମାନପତ୍ର, ଉପଢୌକନ ରେ ସମ୍ବର୍ଦ୍ଧିତ କରାଯାଇଥିଲା । ନିଶିଗନ୍ଧା ସଭାପତି ନାରାୟଣ ଚନ୍ଦ୍ର ସେନାପତିଙ୍କ ନିଷ୍ଠା, ତ୍ୟାଗ, ଉଦାରତା ଓ କର୍ତ୍ତବ୍ୟପରାୟଣତାକୁ ସମ୍ମାନ ଜଣାଇ ଅତିଥି ଓ ଅନୁଷ୍ଠାନ କର୍ମୀଂକ ଦ୍ୱାରା ଆଦର୍ଶ ଗାନ୍ଧୀ ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ନନ୍ଦିନୀ ଶତପଥି, ଅକ୍ଷୟ କୁମାର କର୍ଣ୍ଣ, ରଶ୍ମିତା ନାୟକ, ଭାସ୍କର ରାଉତ, ବୈଜୟନ୍ତୀ ସାହୁ, ଶୁଭଲକ୍ଷ୍ମୀ ସେଠୀ, ଡ଼ଃ ସରୋଜିନୀ ପଟ୍ଟନାୟକ(ସିତୁ), ମାନସ ରଞ୍ଜନ ମିଶ୍ର, ଦମୟନ୍ତୀ ରଥ, ଲଳିତା ଜେନା, ନୃସିଂହାନନ୍ଦ ମହାପାତ୍ର, କୁମାର ଷ୍ଟାଲିନ, ରବି ପ୍ରଧାନ, ବନ୍ଦନା ହରିଚନ୍ଦନ, ଧୃତି ଧର ଦାସଙ୍କ ସହ ଅନ୍ୟୁନ ପଚାଶ ଜଣ ରାଜ୍ୟର ବିଶିଷ୍ଟ ସାହିତ୍ୟିକ ସମାଜସେବୀଙ୍କୁ ଗାନ୍ଧୀ ସ୍ମୃତି ଓ ଶ୍ରୀଜଗନ୍ନାଥ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଗାନ୍ଧୀ ସମ୍ବନ୍ଧିତ କବିତା ପଠନର ଝଙ୍କାରରେ ମଞ୍ଚ ଉତ୍ଫୁଲ୍ଲିତ ହେବା ବେଳେ ବିଭିନ୍ନ ବ୍ୟକ୍ତିତ୍ୱଙ୍କ ଅନୁଭବ ଓ ଦିଗଦର୍ଶନ ମନ୍ତବ୍ୟ ଖୁବ ଶିକ୍ଷଣୀୟ ଓ ଗ୍ରହଣୀୟ ଥିଲା । ବିଶିଷ୍ଟ ସାହିତ୍ୟିକ, ସମାଜସେବୀ ଧୃତିଧର ଦାସଙ୍କ ଆଲୋଡିତ ସଂଯୋଜନା ସଭିଙ୍କୁ ମନ୍ତ୍ରମୁଗ୍ଧ କରିଥିବାବେଳେ ନନ୍ଦିନୀ ଶତପଥୀଙ୍କ ସୁମଧୁର କଣ୍ଠସ୍ୱର ,ଆଶୀର୍ବଚନ ଓ ଧନ୍ୟବାଦ ସଭିଙ୍କୁ ଆଲୋଡିତ କରିଥିଲା । ସମସ୍ତ ଅତିଥି ଅଧିକାରୀଗଣ ପ୍ରତିଷ୍ଠାତା ବଳରାମ ତରାଇଙ୍କ ଉଦ୍ୟମ ଓ ଅନୁଷ୍ଠାନ କର୍ମକାର୍ତ୍ତାଙ୍କ ନିଷ୍ଠାପର କର୍ମକୁ ପ୍ରଶଂସିତ କରି ଅନୁଷ୍ଠାନର ଦୀର୍ଘାୟୁ କାମନା କରିଥିଲେ ।
Reported By Balaram Tarai, Bhubaneswar
Post a Comment