କାଙ୍କଣକୁଦରେ ଶ୍ରୀଜଗନ୍ନାଥଙ୍କ ଅଜ୍ଞାତବାସ

କାଙ୍କଣକୁଦ ବା କାଙ୍କଣଶିଖରୀ
ଶ୍ରୀଜଗନ୍ନାଥ ସର୍ବଦା ରହସ୍ୟମୟ ଆଉ ଅପୂର୍ବ ତାଙ୍କର ଲୀଳା । ମୋଗଲ ଓ ଆଫଗାନମାନଙ୍କ ରାଜତ୍ଵ ସମୟରେ ହିନ୍ଦୁମାନଙ୍କ ଧର୍ମବିଶ୍ଵାସକୁ ନଷ୍ଟ କରିବା ନିମନ୍ତେ ପ୍ରୟାସ ହୋଇଅଛି । ଇତିହାସରୁ ଜଣାପଡେ, ପଞ୍ଚଦଶ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ଏହି ଦୁଇଶହ ବର୍ଷ ମଧ୍ୟରେ ଆଫଗାନ ଓ ମୋଗଲ ମାନଙ୍କ ଦ୍ଵାରା ପୁରୀ ଶ୍ରୀମନ୍ଦିର ଉପରେ ଅନେକବାର ଆକ୍ରମଣ ହୋଇଥିଲା । ବିଧର୍ମୀମାନଙ୍କ କବଳରୁ ଶ୍ରୀବିଗ୍ରହ ମାନଙ୍କୁ ରକ୍ଷାକରିବା ନିମନ୍ତେ ଭିନ୍ନ ଭିନ୍ନ ସମୟରେ ଅଜ୍ଞାତ ସ୍ଥାନ ମାନଙ୍କୁ ଗୁପ୍ତରେ ସ୍ଥାନାନ୍ତରିତ କରାଯାଇଥିଲା । ସେଥିମଧ୍ୟରୁ କାଙ୍କଣକୁଦ ବା କଙ୍କଣଶିଖରୀ ହେଉଛି ଅନ୍ୟତମ । ଶ୍ରୀଜଗନ୍ନାଥ ସଂସ୍କୃତିର ଅନ୍ୟତମ ପବିତ୍ର କ୍ଷେତ୍ର । ଯେଉଁଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଜ୍ଞାତବାସ କରିଥିଲେ । ଶତ୍ରୁ ଆଶଙ୍କ।ରେ ଶ୍ରୀଜୀଉ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ସେବାୟତ ମାନେ ଏହି ସ୍ଥାନକୁ ନିରାପଦ ମନେକରି ଏହିଠାରେ ଲୁଚାଇ ରଖିଥିଲେ । ଦୀର୍ଘ ସାତମାସରୁ ଉର୍ଦ୍ଧ ସମୟ ମହାପ୍ରଭୁ ଏହିଠାରେ ଗୋପନ ବାସରେ ରହିଥିଲେ । ଶ୍ରୀଜଗନ୍ନାଥଙ୍କ ପୂଜାବିଧି ଓ ଅମୃତ ମଣୋହୀ କାର୍ଯ୍ୟ ନିମନ୍ତେ ଏହି କୁଦରେ ଥିବା କାଙ୍କଣ ଫଳକୁ ପାକ କରାଯାଇ ମଣୋହୀ କାର୍ଯ୍ୟ କରାଯାଇଥିଲା । ଏହିଠାରେ ମହାପ୍ରଭୁଙ୍କର ଅପୂର୍ବ ଲୀଳାର ପ୍ରମାଣ ସ୍ୱରୂପ ଯଜ୍ଞବେଦୀ, ମାଟିପାତ୍ର, ଚନ୍ଦନପେଡ଼ିର ଭଗ୍ନାବଶେଷ ଆଦି ରହିଅଛି । ଖାରୀୟ ହ୍ରଦ ଚିଲିକା ମଧ୍ୟରେ ଅବସ୍ଥିତ ଏହି କୁଦରେ ଥିବା ଯମୁନା ପୋଖରୀର ପାଣି ଖୁବ ମଧୁର । ଏହି ପୋଖରୀ ପାଣିରେ ମହାପ୍ରଭୁଙ୍କ ରୋଷକାର୍ଯ୍ୟ କରାଯାଇଥିଲା । ଏହି ସ୍ଥାନଟି ଖୋରଧା ଜିଲ୍ଲାର ଗଙ୍ଗାଧରପୁର ବ୍ଲକ ଅଧିନସ୍ଥ ନଇରୀ ଗ୍ରାମର ଚିଲିକା ନିକଟରେ ଅବସ୍ଥିତ । ଚିଲିକା ମଧ୍ୟରେ ଏକ ଛୋଟିଆ କୁଦଟିଏ । ଏଠାରେ କଙ୍କଣ ଲଟା ଅଧିକ ହୋଇଥିବାରୁ ଏହାର ନାମକରଣ ଏପରି ହୋଇଅଛି । ଇତିହାସରୁ ଜଣାପଡେ ସେହି ଗୋପନବାସ ସମୟରେ ରଥଯାତ୍ରା ପଡିଥିବାରୁ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ଏହି ନଇରୀ ଗ୍ରାମରେ ଶଗଡି ସାହାଯ୍ୟରେ ଅନୁଷ୍ଠିତ ହୋଇଥିଲା । ନଇରୀ ଗ୍ରାମର ହରିହରେଶ୍ଵର ମନ୍ଦିରରେ ଅଦ୍ୟାବଧି ମହାପ୍ରଭୁଙ୍କ ଚକାଆସନ ପୂଜା ପାଇଆସୁଛନ୍ତି । ଏହି ମନ୍ଦିର ହରି ଓ ହରଙ୍କ ପବିତ୍ର ମିଳନସ୍ଥଳ ଭାବେ ଆଜି ପରିଚିତ । ନଇରୀ ଗ୍ରାମ ଓ ଏହା ସନ୍ନିକଟ କଙ୍କଣକୁଦ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ଲୀଳାଖେଳା ସ୍ଥଳ ଭାବେ ପରିଚିତ ।
ହରିହରେଶ୍ଵର ମନ୍ଦିର, ନଇରୀ, ଖୋରଧା


Post a Comment

Post a Comment (0)

Previous Post Next Post